
(ବ୍ୟୁରୋ) ଟିଟିଲାଗଡ଼ ବ୍ଲକ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ନୋଟିସ ଖାରଜ ହୋଇଛି l କିଛି ସରପଞ୍ଚ ଏବଂ ସମିତି ସଭ୍ୟ ଗତ ମାସ 17 ତାରିଖରେ ବିଜେପି ନେତାଙ୍କ ସହ ଉପଜିଲ୍ଲାପାଳ ରେହାନ ଖତ୍ରୀଙ୍କୁ ଟିଟିଲାଗଡ଼ ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାଏକଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ନୋଟିସ ଦେଇଥିଲେ l ଏନେଇ ଉପଜିଲ୍ଲାପାଳ ଦସ୍ତଖତ ମେଳ ପାଇଁ ସରପଞ୍ଚ ଏବଂ ସମିତି ସଭ୍ୟଙ୍କୁ ଡ଼ାକିଥିବା ବେଳେ ଅନେକ ସେମାନଙ୍କ ଦସ୍ତଖତ ନକଲି ଥିବା ସ୍ୱୀକାର କରିଥିଲେ l ଏନେଇ ଟିଟିଲାଗଡ଼ ବିଡ଼ିଓ ଅନାସ୍ଥା ପ୍ରସ୍ତାବ ନୋଟିସ ଦେଇଥିବା ସମସ୍ତଙ୍କ ମତାମତ ଲୋଡ଼ିଥିଲେ l ଅନେକ ସରପଞ୍ଚ ଏବଂ ସମିତି ସଭ୍ୟ ନିଜେ ପ୍ରଶାସନ ନିକଟରେ ହାଜର ହୋଇ ନିଜ ବୟାନ ଲିପିବଦ୍ଧ କରିଥିବା ବେଳେ ସୁରଡ଼ା ସମିତି ସଭ୍ୟ କମଲେଶ ସୁନା ଲିଖିତ ଭାବରେ ତାଙ୍କ ଦସ୍ତଖତ ନକଲି ବୋଲି ଉପଜିଲ୍ଲାପାଳଙ୍କୁ ଜଣାଇଥିଲେ l ଏନେଇ ଆଇନ ମୁତାବକ ଉପଜିଲ୍ଲାପାଳ ଆବଶ୍ୟକ ସଂଖ୍ୟକ ସରପଞ୍ଚ ଏବଂ ସମିତି ସଭ୍ୟଙ୍କ ଦସ୍ତଖତ ନଥିବା ନେଇ ଗୁରୁବାର ନୋଟିସକୁ ପ୍ରତ୍ୟାଖ୍ୟାନ କରିଛନ୍ତି l ଏହାକୁ ନେଇ ଟିଟିଲାଗଡ଼ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି l ଟିଟିଲାଗଡ଼ ବିଧାୟକ ନବୀନ ଜୈନ ବ୍ଲକର ଉନ୍ନୟନ କାର୍ଯ୍ୟରେ ପିସି ମାଗୁଥିବା ଅଭିଯୋଗ କରି ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂଭୋଇଙ୍କ ନେତୃତ୍ୱରେ ଗତ ମାସ 17 ତାରିଖରେ ଟିଟିଲାଗଡ଼ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ନାଏକ ଏବଂ ଅନେକ ସରପଞ୍ଚ ଏବଂ ସମିତି ସଭ୍ୟସଭ୍ୟା ଟିଟିଲାଗଡ଼ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ l ଉକ୍ତ ଦିନ ସନ୍ଧ୍ୟା 6ଟାରେ କିଛି ସରପଞ୍ଚ ଏବଂ ସମିତି ସଭ୍ୟ ବିଜେପି ନେତାଙ୍କ ସହ ଯାଇ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହାଜର ହୋଇ ଅନାସ୍ଥା ନୋଟିସ ଦେଇଥିଲେ l ତେବେ ଏହା ଭଣ୍ଡୁର ହେଵା ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କୁ ଶକ୍ତ ଧକ୍କା ବୋଲି ଚର୍ଚ୍ଚା ହୋଇଛି l