
ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଖୋଲାଣର ଯୁବ ସରପଞ୍ଚ ନରେଶ ଅଗ୍ରୱାଲ ସରକାରୀ ଯୋଜନାରେ ଏଭଳି ଉନ୍ନୟନ କାର୍ଯ୍ୟ କଲେ ଯେ ତାଙ୍କୁ ଦିଲ୍ଲୀ ଡକରା ହେବା ଆଲୋଚନାର ବିଷୟ ହୋଇଛି l କେନ୍ଦ୍ର ସରକାରଙ୍କ ପକ୍ଷରୁ ଶ୍ରୀ ଅଗ୍ରୱାଲଙ୍କୁ ଆସନ୍ତା ଜାନୁୟାରୀ 26 ଜାତୀୟ ସ୍ତରୀୟ ଗଣତନ୍ତ୍ର ଦିବସ ଉତ୍ସବରେ ନୁଆଁଦିଲ୍ଲୀର କର୍ତ୍ତବ୍ୟ ପଥରେ ବିଶେଷ ସରକାରୀ ଅତିଥି ଭାବରେ ଯୋଗଦେବାକୁ ନିମନ୍ତ୍ରଣ ମିଳିଛି l ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସବର ମାହୋଲ l ସରକାରୀ ସ୍ତରରେ ଟିଟିଲାଗଡ଼ ବ୍ଲକକୁ ଦାଦନ ପ୍ରବଣ ଭାବରେ ଘୋଷଣା କରାଯାଇଛି l ଏଭଳିସ୍ଥିତିରେ 2022ରେ ପ୍ରଥମ ଥର ସରପଞ୍ଚ ଭାବରେ ନିର୍ବାଚିତ ହେବା ପରେ ଦାଦନ ମୁକାବିଲା ନେଇ ନରେଶ ଉଲ୍ଲେଖନୀୟ ଉଦ୍ୟମ ଜାରି ରଖିଛନ୍ତି l ଶ୍ରମିକଙ୍କୁ ମନରେଗା ସମେତ ବିଭିନ୍ନ ସରକାରୀ ଯୋଜନାରେ ନିଯୁକ୍ତି ନେଇ ତାଙ୍କ ପ୍ରୟାସ ଅନେକାଂଶରେ ସଫଳ ହୋଇଛି l ଜିଲାପାଳଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ସଚିବ ସ୍ତରୀୟ ଅଧିକାରୀ ବାରମ୍ବାର ଖୋଲାଣ ଗସ୍ତ କରି କାର୍ଯ୍ୟ ତଦାରଖ ସହ ସରପଞ୍ଚ ନରେଶଙ୍କୁ ଉତ୍ସାହିତ କରିଛନ୍ତି l ଜଳ ସଂରକ୍ଷଣ କ୍ଷେତ୍ରରେ ରାଷ୍ଟ୍ରୀୟ ସ୍ତରରେ ବଲାଙ୍ଗୀର ଜିଲା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଖୋଲାଣର ଅମୃତ ସରୋବର ପ୍ରଦର୍ଶିତ ହେବା ଅଞ୍ଚଳବାସୀଙ୍କୁ ଗର୍ବିତ କରିଥିଲା l ଗତ ସାଧାରଣ ତନ୍ତ୍ର ଦିବସରେ ଖୋଲାଣର ଜଣେ ମହିଲା ଶ୍ରମିକ ଦିଲ୍ଲୀ ଉତ୍ସବକୁ ନିମନ୍ତ୍ରିତ ହୋଇଥିବା ବେଳେ ଚଳିତ ଥର ସରପଞ୍ଚ ଦମ୍ପତ୍ତିଙ୍କୁ ସୁଯୋଗ ମିଳିଛି l ଏହା ନିଶ୍ଚିତ ଭାବରେ ଆମ ସମସ୍ତ ସରପଞ୍ଚ ଭାଇମାନଙ୍କ ପାଇଁ ଏକ ଗୌରବର ବିଷୟ ବୋଲି ରାଜ୍ୟ ସରପଞ୍ଚ ମହାସଂଘ କାର୍ଯ୍ୟକାରୀ ସଭାପତି ବୀରବର ସାହୁ ନିଜ ପ୍ରତିକ୍ରିୟାରେ କହିବା ସହ ସରପଞ୍ଚ ଶ୍ରୀ ଅଗ୍ରୱାଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି l