
୭୬ତମ ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ଟିଟିଲାଗଡ ସଦର ମହକୁମାସ୍ଥିତ ବାଳକ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ପ୍ରାତଃ ସମୟରେ ଡାକବାଜି ଯନ୍ତ୍ର ମାଧ୍ୟମରେ ସହରରେ ରାମଧୁନ୍ ପରିବେଷଣ କରାଯାଇଥିଲା । ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଅନୁଷ୍ଠିତ ୭୬ତମ ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ରେହାନ ଖତ୍ରୀ, (ଭା.ପ୍ର.ସେ) ଯୋଗଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ ପରିଦର୍ଶନ କରି ଅଭିବାଦନ ଗ୍ରହଣ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ଖତ୍ରୀ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଉତ୍ସବରେ ଉପସ୍ଥିତ ସମସ୍ତଙ୍କୁ ଶୁଭେଚ୍ଛା ସହ ସ୍ଵାଗତ ଜଣାଇବା ସହ ଭାରତର ସ୍ଵାଧୀନତା ଓ ସମ୍ବିଧାନ ପ୍ରଣୟନରେ ମହାପୁରୁଷ ମାନଙ୍କର ଅକ୍ଲାନ୍ତ ପରିଶ୍ରମ, ନିଷ୍ଠା ଓ ତ୍ୟାଗ ଦ୍ଵାରା ଭାରତ ବର୍ଷକୁ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ର ନିର୍ମାଣ କରିବାରେ ଯେଉଁମାନେ ମୁଖ୍ୟ ବହୁ ଭୂମିକା ଗ୍ରହଣ କରିଥିଲେ ସେମାନଙ୍କ ସ୍ମୃତିଚାରଣ କରିଥିଲେ । ସାଧାରଣତନ୍ତ୍ର ଦିବସ ପାଳନର ତାପର୍ଯ୍ୟ ଉପରେ ଆଲୋକପାତ କରି କହିଥିଲେ ଉନ୍ନତି ଓ ବିକାଶ ପଥରେ ସମସ୍ତଙ୍କର ସହଯୋଗର ଆବଶ୍ୟକତା ନିତ୍ୟାନ୍ତ ଜରୁରୀ l

ମିଳିତ ପ୍ୟାରେଡରେ ହୋମ ଗାର୍ଡଙ୍କ ସମେତ ମହାବିଦ୍ୟାଳୟ ଓ ବିଭିନ୍ନ ବିଦ୍ୟାଳୟର ଏନ୍ ସି ସି, ସ୍କାଉଟ୍, ସିଭିଲିଅନ ଗ୍ରୁପ ଏବଂ ଘୋଷଦଳ ସହ ମୋଟ ୨୬ଗୋଟି ଦଳ ଭାଗ ନେଇଥିଲେ , ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀମାନଂକ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପ୍ୟାରେଡରେ ଭାଗ ନେଇ ଥିବା ସିଭିଲିଆନ ଓ ନନ ସିଭିଲିଆନ ପ୍ୟାରେଡ ରେ ଏନସିସି ବିଭାଗରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ପ୍ରଥମ, ଏସଡିଏମଟି ପ୍ରଭାବତୀ ପବ୍ଲିକ ସ୍କୁଲ(ବାଳିକା) ଦ୍ଵିତୀୟ, ବାଳକ ଉଚ୍ଚ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଥିଲେ । ପ୍ୟାରେଡର ଜୁନିୟର ବିଭାଗରେ ଗାଇଡ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଥମ, ସ୍କାଉଟ , ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଦ୍ଵିତୀୟ, ସ୍କାଉଟ, ମାଁ ଘଣ୍ଟାସୂନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଥିଲେ । ପ୍ୟାରେଡର ସବ ଜୁନିୟର ବିଭାଗରେ ରେଡକ୍ରସ, ମହେଶ୍ଵର ହିନ୍ଦୀ ଉଚ୍ଚ ବିଦ୍ୟାଳୟ, ପ୍ରଥମ, ସିଭିଲ, ଓମ ଭେଲ୍ଲୀ ସ୍କୁଲ, ଦ୍ଵିତୀୟ ଏବଂ ରେଡକ୍ରସ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ତୃତୀୟ ସ୍ଥାନ ଅଧିକାର କରିଥିଲେ । ସାଂସ୍କୃତିକ ପ୍ରତିଯୋଗୀତାରେ ଏସଡିଏମଟି ପ୍ରଭାବତୀ ସ୍କୁଲ ପ୍ରଥମ, ଏସସିଡି ସ୍କୁଲ ଦ୍ଵିତୀୟ, ଓମ ଭେଲ୍ଲୀ ସ୍କୁଲ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଅଂଶଗ୍ରହଣ କରିଥିବା ବିଜେତା ଦଳଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା ।


ସ୍ଵର୍ଗୀୟ ମହାଦେବ ପାଢୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରେଷ୍ଠ ଜାତୀୟ ସମର ଶିକ୍ଷାର୍ଥୀ ଭାବେ ଅଙ୍କିତା ମାଝି, ଡିଏଭି ମହାବିଦ୍ୟାଳୟଙ୍କୁ ମୁଖ୍ୟ ଅତିଥି ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ । ସେହିପରି ଭାବେ ଟିଟିଲାଗଡ ଉପଖଣ୍ଡସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ମହାବିଦ୍ୟାଳୟ ଓ ବିଦ୍ୟାଳୟସ୍ତରର ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ଵ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ତଥା ସମ୍ମାନୀୟ ଅତିଥି ମାନେ ଏହି ଅବସରରେ ପୁରସ୍କାର ପ୍ରଦାନ କରିଥିଲେ । ସ୍ଵର୍ଗୀୟ ଉତ୍ତମା ନାୟକଙ୍କ ସ୍ମୃତିରେ ସମାଜସେବାରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ଡାଃ. ଘନଶ୍ୟାମ ଜୈନ, ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷାଜ୍ଞଙ୍କୁ ମାନପତ୍ର ଓ ସମ୍ବର୍ଦ୍ଧିତ କରାଯାଇଥିଲା ଓ ସହିଦ ଜିମ୍ନାସିୟମ, ଟିଟିଲାଗଡ ପକ୍ଷରୁ ହୋଇଥିବା ଭାରଉତ୍ତୋଳନ, ବଡି ବିଲ୍ଡିଂ, ପାୱାର ଲିଫ୍ଟିଂ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀ ଏବଂ ଟିଟିଲାଗଡ ଆଥଲେଟିକ୍ସ ଏସୋଶିୟେଶନ ପକ୍ଷରୁ ଆୟୋଜିତ ହୋଇଥିବା ମହିଳା ଓ ପୁରୁଷ ଗଣଦୌଡରେ ଉତ୍ତୀର୍ଣ୍ଣ ସମସ୍ତ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା । ଏହା ପରେ ମୁଖ୍ୟ ଅତିଥି ଟିଟିଲାଗଡସ୍ଥିତ ଉପ କାରାଗାରର ଅନ୍ତେବାସୀ ଏବଂ ଏସସିଡି ସ୍କୁଲର ଅନ୍ତେବାସୀଙ୍କୁ ଭେଟି ସେମାନଙ୍କୁ ମିଷ୍ଠାନ ଓ ଫଳ ବଣ୍ଟନ କରିଥିଲେ । ଏହି ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ପୌରାଧ୍ୟକ୍ଷା, ଟିଟିଲାଗଡ ଶ୍ରୀମତୀ ମମତା ଦେବୀ ଜୈନ ଏବଂ ଟିଟିଲାଗଡ ପୌରପରିଷଦ କାଉନସିଲରଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀ, ବରିଷ୍ଠ ନାଗରିକ, ଉତ୍ସବ ପରିଚାଳନା କମିଟିର କର୍ମକର୍ତ୍ତା, ବିଭିନ୍ନ ଶିକ୍ଷାନୁଷ୍ଠାନ ର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗଦେଇ ଥିଲେ ।
Report- Pratap Rana